logo

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ବିଜେପି: ଲେଖାଶ୍ରୀ

ଓଡ଼ିଶା ବିଜେପି ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ସୂଚନା ପାଆନ୍ତି, ନିର୍ବାଚନ ଫଳାଫଳ ସେମାନଙ୍କ ବିରୋଧରେ ଯାଉଥିବା ଅନୁଭବ କରନ୍ତି; ସେତେବେଳେ ସେମାନେ ବିନା କୌଣସି ଆଧାରରେ ମିଛ, ଭିତ୍ତିହୀନ ଓ ନିରାଧାର ଅଭିଯୋଗ ଆଣନ୍ତି। ଏହା ରାଜ୍ୟ ବିଜେପି ନେତାମାନଙ୍କର ପୁରୁଣା ଅଭ୍ୟାସ। ୨୦୧୯ରେ ପରାଜିତ ହେବାକୁ ଯାଉଛନ୍ତି ବୋଲି ସୂଚନା ପାଇବା ପରେ ରାଜ୍ୟ ବିଜେପି ପକ୍ଷରୁ ଏପରି ତଥାକଥିତ ଚାର୍ଜସିଟ୍‌ ଅଣା ଯାଇଥିଲା; ୨୦୨୪ ନିର୍ବାଚନରେ ସେମାନେ ଅତ୍ୟନ୍ତ ଦୟନୀୟ ଭାବରେ ହାରିବାକୁ ଯାଉଛନ୍ତି ବୋଲି ଜାଣି ଅନୁରୂପ ଚାର୍ଜସିଟ୍‌ ନାମରେ କେବଳ ଭିତ୍ତିହୀନ ଓ କପୋଳକଳ୍ପିତ କାହାଣୀର ଅବତାରଣା କରିଛନ୍ତି ବୋଲି କହିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।

ଲେଖାଶ୍ରୀ କହିଛନ୍ତି ଯେ ମହିଳା ସୁରକ୍ଷା ନେଇ ରାଜ୍ୟ ବିଜେପିର ଯେଉଁ ନେତାମାନେ ଓଡ଼ିଶାକୁ ସମାଲୋଚନା କରୁଛନ୍ତି, ସେତେବେଳେ ବିଜେପି ଶାସିତ ରାଜ୍ୟ କଥା ସମ୍ଭବତଃ ଭୂଲି ଯାଇଛନ୍ତି। ବିଜେପି ଶାସିତ ରାଜ୍ୟଗୁଡ଼ିକରେ ମହିଳା ବିରୋଧୀ ହିଂସା ଓ ଅପରାଧ ହାର ଓଡ଼ିଶା ତୁଳନାରେ ବହୁ ଅଧିକ। ମାତ୍ର ଓଡ଼ିଶାର ଛବିକୁ ମଳିନ କରିବା ଅଭ୍ୟାସର ବଶବର୍ତ୍ତୀ ହୋଇ ରାଜ୍ୟ ବିଜେପି ନେତାମାନେ ନିଜର ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥସାଧନ ନିମନ୍ତେ ଅପଚେଷ୍ଟା କରିଛନ୍ତି । ନୂଆଦିଲ୍ଲୀର ଓଡ଼ିଶା ଭବନରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ କେଳେଙ୍କାରୀ କାହାଣୀ ଓଡ଼ିଶାବାସୀ ଜାଣିଛନ୍ତି । ଯେଉଁଥିପାଇଁ ୨୦୦୮ ମସିହାରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଥିଲା। ଏପରି ଜଣେ ବ୍ୟକ୍ତି ଯଦି ଓଡ଼ିଶାରେ ବିଜେପି ସଭାପତି ଦାୟିତ୍ୱ ତୁଲାଇବେ, ତେବେ ଦଳ ମଧ୍ୟରେ ମହିଳା କେତେ ସୁରକ୍ଷିତ ତାହା ଜଣାପଡ଼ୁଛି ।
କେନ୍ଦ୍ରୀୟ ସଂସ୍ଥାର ରିପୋର୍ଟ ଅନୁସାରେ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ । ଦେଶର ବେକାରୀ ହାର ଓଡ଼ିଶାରେ ସର୍ବନିମ୍ନ। ମାତ୍ର ରାଜ୍ୟ ବିଜେପି ନେତାମାନେ ମିଛ ତଥ୍ୟ ଦେଇ ଓଡ଼ିଶାର ଛବିକୁ ମଳିନ କରିବାକୁ ଅପଚେଷ୍ଟା କରିଛନ୍ତି, କୃଷି କ୍ଷେତ୍ରରେ ଓଡ଼ିଶାର ସମୃଦ୍ଧ ସଫଳତାକୁ ସମାଲୋଚନା କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଗାଁରେ ଗୋଟିଏ ସ୍ମାର୍ଟ ଶ୍ରେଣୀ ବି କରିବାରେ ବିଫଳ ହୋଇଛନ୍ତି । ମାତ୍ର ଓଡ଼ିଶା ସରକାର ରାଜ୍ୟର ୭ହଜାରରୁ ଊଦ୍ଧ୍ୱର୍ ସ୍କୁଲର ରୂପାନ୍ତରଣ କରିଛନ୍ତି । ଓଡ଼ିଶାର ହାଇସ୍କୁଲ ଶ୍ରେଣୀଗୃହ ରାଜ୍ୟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ଶ୍ରେଣୀଗୃହଠାରୁ ଯଥେଷ୍ଟ ଉନ୍ନତ । ଏହାକୁ କେନ୍ଦ୍ର ସରକାର ସ୍ୱୀକାର କରିଛନ୍ତି । ବିତ୍ତୀୟ ପରିଚାଳନାରେ ଓଡ଼ିଶା ଦେଶର ଶ୍ରେଷ୍ଠ ରାଜ୍ୟରେ ପରିଣତ ହୋଇଛି । ରାଜସ୍ୱ ବଳକା ରାଜ୍ୟ ସହ ଋଣ ପରିଶୋଧ କରି ଶୃଙ୍ଖଳିତ ଆର୍ଥିକ ପରିଚାଳନା ପାଇଁ ଦେଶରେ ପ୍ରଶଂସିତ ହୋଇଛି । ମାତ୍ର ମିଛ ଦସ୍ତାବିଜ ଉପସ୍ଥାପନ କରି ଓଡ଼ିଶାର ଛବିକୁ ରାଜ୍ୟ ବିଜେପି ମଳିନ କରୁଛି । ବିଦ୍ୟୁତିକରଣ କ୍ଷେତ୍ରରେ ମଧ୍ୟ ସମ୍ପୂର୍ଣ୍ଣ ମିଛ କହୁଛି ବିଜେପି । କେନ୍ଦ୍ରର ନିଷ୍ପତ୍ତି ଓ ଅନୁମୋଦନ ବିନା ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ବିଦ୍ୟୁତ୍‌ ଯୋଗାଣ ଅସମ୍ଭବ । ମାତ୍ର ରାଜ୍ୟ ବିଜେପି ନେତାମାନେ ଲୋକଙ୍କୁ ଭୂଆଁ ବୁଲାଇବାକୁ ମିଛ ପରେ ମିଛ କହି ଚାଲିଛନ୍ତି।

ଲେଖାଶ୍ରୀ ପୁଣି କହିଛନ୍ତି ଯେ ନିଜ ସଙ୍କୀର୍ଣ୍ଣ ରାଜନୈତିକ ସ୍ୱାର୍ଥସାଧନ ନିମନ୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମିଛ ଅଭିଯୋଗ ଆଣିବା ଓ ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜନୀତିକରଣ କରିବାରେ ସିଦ୍ଧହସ୍ତ । ଶିଶୁ ବିରୋଧୀ ଅପରାଧ ହେଉ ବା ମହିଳା ହିଂସା ହେଉ, ପ୍ରତ୍ୟେକ କ୍ଷେତ୍ରରେ ସେ କେବଳ ରାଜନୀତି କରି ଆସିଛନ୍ତି । ଏପରି ନେତାଙ୍କୁ ପ୍ରଶ୍ରୟ ଦେଉଥିବା ଦଳ ଅନ୍ୟକୁ ଉପଦେଶ ଦେବାର ନୈତିକତା ହରାଇ ସାରିଛି । ଦଳରେ ଥିବା ସମୟରେ ଏପରି ଭିତ୍ତିହୀନ ଓ ମିଛ କହିବାକୁ ଅନେକ ବିରୋଧ କରୁଥିବା ମୁଁ ଜାଣିଥିଲି । ମାତ୍ର ନିର୍ବାଚନ ପରାଜୟ ନିଶ୍ଚିତ ଥିବାରୁ ଏପରି ମିଛ କହିବା, ଲୋକଙ୍କୁ ଭ୍ରମିତ କରିବା ପାଇ ସେତେବେଳେ ଚାପ ପକାଯାଉଥିଲା । ୨୦୧୯ରେ ରାଜ୍ୟ ବିଜେପି ନେତାମାନେ ପରାଜୟ ନିଶ୍ଚିତ ଯାଣି ଯେଉଁ ପଦ୍ଧତି ଅବଲମ୍ବନ କରୁଥିଲେ, ଏବେ ୨୦୨୪ରେ ତାହାର ପୁନରାବୃତ୍ତି କରୁଛନ୍ତି । ଓଡ଼ିଶାର ବିଜେପି ନେତାମାନେ ଜାଣି ସାରିଛନ୍ତି ଯେ ନିର୍ବାଚନ ଫଳାଫଳ କ’ଣ ହେବ ଓ ସେମାନେ କିପରି ପ୍ରଚଣ୍ଡ ପରାଜୟକୁ ସାମ୍ନା କରିବାକୁ ଯାଉଛନ୍ତି। ତେଣୁ ଅଭ୍ୟାସଗତ ଭାବରେ ସେମାନେ ଏପରି ମିଛ, ଅବାନ୍ତର ଓ ଭିତ୍ତିହୀନ ଅଭିଯୋଗ ଆଣୁଛନ୍ତି । ଯେଉଁଥିପାଇଁ ଓଡ଼ିଶାରେ ବିଜେପି ଆଗକୁ ବଢ଼ିପାରୁ ନାହିଁ ଓ ଲୋକଙ୍କ ବିଶ୍ୱାସ ହରାଉଛି ବୋଲି ଲେଖାଶ୍ରୀ କହିଛନ୍ତି ।

1
1512 views